Publisher's Synopsis
ସୃଷ୍ଟି ଓ ଜନ୍ମମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ବୈଜ୍ଞାନିକମାନଙ୍କର ଗବେଷଣା, ଋଷିମୁନିମାନଙ୍କର ସାଧନା, ବିଭିନ୍ନ ଧର୍ମ ସଂପ୍ରଦାୟର ଏ ସଂପର୍କୀୟ ଗୂଢ଼ ରହସ୍ୟ ଜାଣିବାର କାମନା ଓ ଧର୍ମଗ୍ରନ୍ଥ ବା ପୁରାଣମାନଙ୍କରେ ବର୍ଣ୍ଣିତ ସୂଚନା ମାଧ୍ୟମରେ ଏ ସମସ୍ତଙ୍କର ପ୍ରଚେଷ୍ଟା ଆବହମାନକାଳରୁ ଅବ୍ୟାହତ ରହିଛି । ମନୁଷ୍ୟ ଓ ଗୃହପାଳିତ ପ୍ରାଣୀମାନଙ୍କ କ୍ଷେତ୍ରରେ ଉନ୍ମୋଚିତ ଓ ସ୍ୱାସ୍ଥ୍ୟଗତ ତଥ୍ୟସମୂହ, ସେମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟରକ୍ଷା ଓ ଦୀର୍ଘ ଜୀବନଯାପନ କରିବାର ପଥ କିୟତ୍ ଅଂଶରେ ପ୍ରଦର୍ଶନ କରିପାରିଛି । ତଥାପି ମଧ୍ୟ ସମୟ ସମୟରେ ପଥଭ୍ରଷ୍ଟ ହେବାପରି ପ୍ରତୀୟମାନ ହେଉଛି । ମାତ୍ର ବନ୍ୟଜନ୍ତୁମାନଙ୍କର ଜୀବନଚର୍ଯ୍ୟା ଅଦ୍ୟାବଧି ରହସ୍ୟାବୃତ୍ତ ।
ଏହି ପୁସ୍ତକଟିରେ ବନ୍ୟଜନ୍ତୁମାନଙ୍କ ସଂପର୍କରେ ଯେଉଁସବୁ ତଥ୍ୟ ଉପସ୍ଥାପିତ ହୋଇଛି, ବାସ୍ତବରେ ସେଗୁଡ଼ିକ ଅଦ୍ଭୁତ, ଆଶ୍ଚର୍ଯ୍ୟଜନକ, ଚିତ୍ତାକର୍ଷକ, ଆକର୍ଷଣୀୟ, ଚମକପ୍ରଦ ଓ ଆମୋଦଦାୟୀ । ପୁସ୍ତକଟିରେ ଉପସ୍ଥାପନ କରାଯାଇଥିବା ଜଙ୍ଗଲ ଜନ୍ତୁମାନଙ୍କର, ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ପଶୁରାଜ ସିଂହର ସୌନ୍ଦର୍ଯ୍ୟ, ଅନ୍ତର୍ନିହିତ ଶକ୍ତି, ସାମାଜିକ ଚଳନିରେ ଅନ୍ତର୍ଜନନ ପ୍ରତି ବିଦ୍ୱେଷ, ସର୍ବଶକ୍ତିସମ୍ପନ୍ନା ମାଆ ଦୁର୍ଗାଙ୍କର ବାହନ ଓ ମନ୍ଦିରମାନଙ୍କର ରକ୍ଷକ ଭାବରେ ଆମ୍ଭମାନଙ୍କର ଆଦରଣୀୟ ଓ ବନ୍ଦନୀୟ ମଧ୍ୟ । ନେଉଳଟିଏ କେତେ କ୍ଷୁଦ୍ର ଜୀବ । ଗୋଖର ଓ ନାଗପରି ଭୟଙ୍କର ବିଷଧର ସର୍ପମାନଙ୍କୁ ଆକ୍ରମଣ କରି ଅନାୟାସରେ ମାରି ଦେଇ ପାରୁଛି । ଏହା ଏକ ଆଶ୍ଚର୍ଯ୍ୟଜନକ ବିଷୟ ନିଶ୍ଚୟ ।
ବାଘ, ଭାଲୁ, ଓଧ, ଶାଳିଆପତନୀ, ଗଧିଆ, ଶୃଗାଳ ଓ ବାଦୁଡ଼ି ବନ୍ୟଜନ୍ତୁମାନଙ୍କର ଜୀବନର ରହସ୍ୟ ଏ ପୁସ୍ତକରେ ଉନ୍ମୋଚିତ । ଅନେକ ଅନେକ ଅଜ୍ଞାତ, ଅଦ୍ଭୁତ ଓ ଆଶ୍ଚର୍ଯ୍ୟ କଥା ବର୍ଣ୍ଣିତ ବଣ୍ୟଜନ୍ତୁମାନଙ୍କର ଜୀବନଚର୍ଯ୍ୟାରୁ ଜାଣିହେବ, ବଣ୍ୟଜନ୍ତୁ ପୁସ୍ତକ ମାଧ୍ୟମରେ ।